Unknown

 

 

 

 

 

 

 

 

 

କପାଳ ଲିଖନ କେ କରିବ ଆନ

ଶ୍ରୀ ଗୋଦାବରୀଶ ମହାପାତ୍ର

 

ଗୋଟିଏ ଭାରି ଦୁଃଖୀ ଲୋକ ଥାଏ ଯେ, ଏକ ଦିନକର ତାର ଗୋଟିଏ ପୁଅ ଜନ୍ମ ହେଲା । ପିଲାଟି ଭଲ ରାଶି ନକ୍ଷତ୍ରରେ ଜନ୍ମ ହେଲା, ଜ୍ୟୋତିଷ ହାତ ଦେଖି କହିଲା ଯେ, ଚଉଦ ବରଷ ବଇସ ହେଲେ ସିଏ ରଜାଝିଅକୁ ବିଭା ହବ । ଇମିତି କେତେ ଦିନ ଗଲା । ଦିନକର କଣ ହେଇଚି ନା, ରଜା ଲୁଚି କରି ସେଇ ଗାଆଁକୁ ଆସିଚନ୍ତି ଦେଖିବାକୁ; ଗାଆଁର ହାଲ ଚାଲ କଣ ବୋଲି ପଚାରିଲାରୁ ସମସ୍ତେ କହିଲେ, ‘‘ଆମ ଗାଆଁର ଗୋଟିଏ ପିଲା ଜନ୍ମ ହେଇଚି ଯେ, ଜ୍ୟୋତିଷ ହାତ ଦେଖି କହିଚି, ଚଉଦ ବରଷ ବଇସ ହେଲେ ସେ ପିଲାଟି ରଜାଙ୍କ ଝିଅକୁ ବିଭା ହବ ।’’ ରଜା ଏ କଥା ଶୁଣି ସେ ପିଲା ଓପରେ ମନେ ମନେ ଭାରି ଖପା ହେଲେ, ଆଉ ତା ବାପାକୁ ଯାଇ କହିଲେ, ‘‘ତମ ପୁଅଟିକି ଆମକୁ ଦିଅ ।’’ ବାପା ଭାରି ଅମଙ୍ଗ ହେଲାରୁ ରଜା କେତେ ଟଙ୍କା, ସୁନା ଯାଚିଲେ । ସିଏ ତ ବଡ଼ ଦୁଃଖୀ, ତିନିଦିନରେ ଓଳିଏ ଚୁଲି ଜଳେ ନାଇଁ, ଟଙ୍କା ସୁନା ଦେଖି ତାର ସିଥେରେ ଭାରି ଲୋଭ ବଳିଲା । ପଛକୁ ପୁଅଟିକି ଦେଇ ପକେଇବାକୁ ହଁ କଲା-

 

ରଜା ପିଲାଟିକି ନେଇ ଗୋଟିଏ ସିନ୍ଦୁକରେ ପୂରେଇ ନଈରେ ଭସେଇ ଦେଲେ । ମନେ ମନେ ଭାରି ଆନନ୍ଦ ହୋଇ କହିଲେ, ‘‘ଟୋକା, ମୋ ଜେମାର ହାତ ଆଉ ଧରିବୁ ?’’ ଏଣେ କଣ ହୋଇଚି ନା, ସିନ୍ଦୁକଟି ଭାସି ଭାସି ଯାଇ ଠାଏ କୂଳରେ ଲାଗିଲା । ସିଠି ଗଉଡ଼ ଗାଈ ଚରଉଥିଲା । ସିନ୍ଦୁକଟିକି ଦେଖି ଆସି ଫିଟେଇଲା । ଦେଖେ ତ ଦିବ୍ୟସୁନ୍ଦର ପିଲାଟିଏ ଶୋଇଚି । ତାର ତ ପୁଅ ଝିଅ କେହି ନ ଥିଲେ, ପିଲାଟିକି ନେଇ ପୁଅପରି ପାଳିଲା ।

 

ତେର ବର୍ଷ ବିତିଗଲା । ଦିନକର ରଜା ବୁଲି ବୁଲି ଆସି ସେଇ ଗଉଡ଼ ଘରେ ପହଞ୍ଚି ଦେଖନ୍ତି ଯେ, ତାର କେଡ଼େ ସୁନ୍ଦର ପୁଅଟିଏ, ସତେ ଅବା ଗୋଟିଏ ଚାଉଳରେ ଗଢ଼ା । ସେଉଟି କା ପୁଅ ବୋଲି ପଚାରିଲାରୁ ଗଉଡ଼ କହିଲା, ‘‘ମଣିମା, ଆଜିକି ତେର ବରଷ ତଳେ ମୁଁ ଏ ପିଲାଟିକି ନଈରୁ ପାଇଥିଲି । ସିନ୍ଦୁକଟିକ ଭିତରେ ଭାସି ଭାସି ଆସୁଥିଲା । ଦୁଃଖୀକି ତ ଦଇବ ସାହା; ଫିଟେଇ ଦେଖେ ତ ଦିବ୍ୟସୁନ୍ଦର ପିଲାଟିଏ ।’’ ରଜା ତ ଚତୁର ଲୋକ । ଏ କଥା ଶୁଣିଲା ମାତ୍ରକେ ଜାଣିଲେ ଯେ, ଇଏ ସେଇ ପିଲା । କହିଲେ, ‘‘ଦେଖ, ତୋ ପୁଅକୁ ଆମେ ରାଣୀଙ୍କ ପାଖକୁ ଖଣ୍ଡେ ଚିଟୋଉ ଦେଇ ପଠେଇବା ।’’ ଗଉଡ଼ ତ ଏତେ ଛନ୍ଦ କପଟ ନ ଜାଣେ, ହଁ କରିଦେଲା । ରଜା ଖଣ୍ଡିଏ ଭାଷା ଲେଖି ପକେଇଲେ । ସିଥେରେ ଲେଖିଲେ, ‘‘ଏ ପିଲା ପହଞ୍ଚିଲାକ୍ଷିଣି ୟାକୁ ହାଣି ପକେଇବ ।’’

 

ପିଲାଟି ଭାଷା ଖଣ୍ଡିକ ଧରିକରି ଯାଉଥାଏ, ଖଣ୍ଡେ ଦୂର ଯାଇଚି, ବାଟବଣା ହେଲା ଯେ, ଯେତେ ଖୋଜିଲା ଆଉ ବାଟ ପାଇଲା ନାଇଁ । ସଞ୍ଜ ବେଳକୁ ବନସ୍ତ ଭିତରେ ଗୋଟିଏ କୁଡ଼ିଆ ଘର ଦୁଆରେ ଆସି ପହଞ୍ଚିଲା । ବୁଢ଼ୀଟିଏ ଦୁଆର ଜଗି ବସିଥିଲା । କହିଲା, ‘‘କିରେ ପୁଅ, ତୁ ଇଠୁକୁ କାଇଁ ଅଇଲୁ ? ଇଏ ତ ଚୋରଙ୍କ ବସାଘର । ଅଇଲେ ତତେ ଆଉ ପ୍ରାଣରେ ରଖିବେଟିକି ?’’ ପିଳାଟି ତ ଦିନଯାକ ବୁଲି ବୁଲି ହାଲିଆ ହୋଇଥିଲା, କହିଲା, ‘‘ଯାହା କରିବେ କରନ୍ତୁ, ମୁଁ ଏଇଠି ଶୋଇଲି ।’’ ୟା କହି ଭାଷା ଖଣ୍ଡିକ ଚାଳରେ ଖୋସି ଦେଇ ଶୋଇ ପଡ଼ିଲା ।

 

ଘଡ଼ିଏ ଗଲାରୁ ଚୋରଯାକ ଆସି ପହଞ୍ଚିଲେ । ଦେଖିଲେ, ଦିବ୍ୟସୁନ୍ଦର ପିଲାଟିଏ ଶୋଇଚି ! ଜଣେ ଚାଳ ଦରାଣ୍ଡୁ ଦରାଣ୍ଡୁ ଭାଷାଖଣ୍ଡକ ତା ହାତରେ ପଡ଼ିଲା । ସିଏ ଫିଟେଇ କରି ପଢ଼େତ ଇମିତି ଇମିତି ଲେଖା ହେଇଚି । ଚୋର ଜାତି ତ ଭାରି ଖଣ୍ଟିଆ । କଲା କଣ ନା, ସେ ଭାଷା ଖଣ୍ଡକ ଚିରି ପକେଇଲା । ଆଉ ଖଣ୍ଡେ ଭାଷା ଲେଖିଲା ଯେ ସିଥେରେ ଲେଖିଲା, ‘‘ଇ ପିଲା ଗଲା ମାତ୍ରେ ୟାକୁ ଜେମାକୁ ଆମର ବିଭା କରେଇ ଦବ ।’’ ଲେଖି ସାରି ଭାଷା ଖଣ୍ଡକ ପୁଣି ସେଇଠି ଚାଳରେ ଖୋସି ଦେଇ ତା ମନ୍ତେ ସିଏ ଶୋଇଲା । ଆରଦିନ ସକାଳୁ ପିଲା ଭାଷା ଧରି ଯାଇ ନଅରରେ ରାଣୀଙ୍କ ପାଖରେ ପହଞ୍ଚିଲା । ରାଣୀ ଭାଷା ପଢ଼ି ପିଲା ହାତକୁ ଆପଣା ଜେମାକୁ ଟେକି ଦେଲେ । ପିଲାଟି ତ ସାକ୍ଷାତ ରଜାପୁଅ । ଜେମା ଏମନ୍ତ ସୁନ୍ଦର ବର ପାଇ ଭାରି ଆନନ୍ଦରେ ରହିଲା ।

 

କେତେ ଦିନ ଉତ୍ତାରୁ ରଜା ଆସି ପହଞ୍ଚି ଦେଖନ୍ତି ଯେ, ଇମିତି ଇମିତି କାଣ୍ଡ । ବିଚାରିଲେ, କପାଳରେ ବିଧାତା ଯାହା ଲେଖିଥାଏ ସେ କଥା ନିଶ୍ଚେ ହୁଏ । ହେଲେ, ତାଙ୍କ ମନୁଟି ମାନୁଚି କେତେକେ ? ଟୋକାକୁ ଡାକି କହିଲେ, ‘‘ ସମୁଦ୍ର ଆରପଟେ ପର୍ବତ, ପର୍ବତ ଭିତରେ ଖୋଲ, ଖୋଲ ଭିତରେ ଅଛି ଏକ ଅସୁର ଯେ, ତା ମୁଣ୍ଡରେ ତିନୋଟି ସୁନା ବାଳ । ଯିଏ ସେ ବାଳ ତିନୋଟି ଆଣିମ, ସିଏ ଏକା ଆମ ଜେମାକୁ ବିଭା ହବ ।’’ ଟୋକା ଇ କଥା ଶୁଣି ଅସୁରଠୁ ସୁନା ବାଳ ଆଣିମାକୁ ଯିବାକୁ ହଁ କଲା ।

 

ଯାଉ ଯାଉ ଏକ ଗାଁରେ ଯାଇ ପହଞ୍ଚିଲା ଯେ, ସେ ଗାଆଁରେ କଅଣ ହେଇଚି ନା, କୂଅଟିଏ ଅଛି । ସେଇ କୂଅରେ ଆଗେ ଗୋଟେ ଝର ପଡ଼ିଥେ ଯେ, ଯିଏ ଯେତେ ପାଣି ନୋଉ ନା କାହିଁକି କୂଅ ଆଉ ଶୁଖେ ନାଇଁ । ହେଲେ, ଏବେ ଆଉ ସେ ଝର ବୋହୁ ନାଇଁ । ଗାଁ ଲୋକେ ସେ ଟୋକାକୁ ଦି’ ବଳଦ ସୁନା ଯାଚିଲେ । କହିଲେ, ‘‘ଆମ କୂଅରୁ ଝର କାହିଁକି ମରିଗଲା, କିମିତି ପୁଣି ଫିଟିବ ତାର ଉପାୟ ବତେଇ ଦେଇଯାଅ ।’’ ଟୋକା କହିଲା, ‘‘ଆଛା, ମୁଁ ଫେରିଲାବେଳେ ପଚାରିବ ।’’ ୟା କହି ଯାଇ ପୁଣି ଆଉ ଏକ ଗାଁରେ ପହଞ୍ଚିଲା । ସେ ଗାଆଁରେ କଅଣ ହେଇଚି ନା, ଗୋଟିଏ ପଣସ ଗଛ ଯେ ସିଥେରେ ଆଗେ ଫୁଲ ଫଳ ଲେନ୍ତି ଦେଉଥିଲା, ଗଛ ଭାଜି ପଡ଼ୁଥିଲା । ହେଲେ ଏବକୁ ଆଉ ଗଛରେ ପତ୍ରଟିଏ ହେଲେ ଦେଖା ନାଇଁ । କଣ କଲେ ଗଛ ଫେରେ ଫଳିବ ବୋଲି ଗାଆଁ ଲୋକେ ପଚାରିଲାରୁ ଟୋକା କହିଲା, ‘‘ଆଛା, ଫେରିଲାବେଳେ ପଚାରିବ ।’’ ୟା କହି ସେଠୋଉଁ ଗଲା । ଯାଉ ଯାଉ ବାଟରେ ପୁଣି ସମୁଦ୍ର ପଡ଼ିଲା । ନାଉରୀ ପଚାରିଲା, ‘‘କହ ଦେଖି ଭଲା, ମୁଁ ତ ଆସି ବୁଢ଼ା ହେଲି, ନିତି ସେମିତି ନାଆ ବୋହୁଚି । କଅଣ କଲେ ମୋ ଦଶା ପାର ପାଇବ ?’’ ‘‘ଆଛା, ମୁଁ ଫେରିଲେ ମତେ ପଚାରିବ’’ ବୋଲି ଟୋକା କହିଗଲା ।

 

ସମୁଦ୍ର ପାରି ହୋଇ ଯାଇ ଏକ ପର୍ବତ ତଳେ ପହଞ୍ଚିଲା । ଦେଖେ ତ, ଖୋଲ ଭିତରେ କାହାର ଦିବ୍ୟ ସୁନ୍ଦର ଉଆସଟିଏ । ଗଲାବେଳକୁ ଅସୁର ଯାଇଚି ଚରିବାକୁ । ତା ମା ବସିଥିଲା ଯେ, ଏ ପିଲାକୁ ଦେଖି ଜିଭ କାମୁଡ଼ି ପକେଇଲା । କହିଲା, ‘‘କାହିଁକି ଅଇଲୁ ରେ ପୁଅ ? ଅସୁର ଅଇଲେ ତ ଟାକୁ କିନା ଗିଳି ଦବ ।’’ ପିଲା କହିଲା, ‘‘ମୁଁ ପରା ସେଇ ଅସୁର ମୁଣ୍ଡରୁ ସୁନା ବାଳ ତିନୋଟି ନେବି ବୋଲି ଆସିଚି । ନ ଧରିଲେ କଣ ଏଠୁ ଉଠିବି ?’’ ବୁଢ଼ୀ ଅସୁରୁଣୀ ପିଲାକୁ ବସେଇ କହିଲା ଯେ, ତାକୁ ବାଳ ତିନୋଟି ଦିଆଇ ଦବ । ସେଇଠୁ ଏ ପିଲାର ହୁବ ପାଇଗଲା, କହିଲା, ‘‘ମୋର ତ ଆଉରି ଗୋଟିଏ କଥା ଅଛି । କହିଲୁ ଦେଖି ବୁଢ଼ୀ, ସେ ଗାଆଁ କୂଅରୁ ଝର କାହିଁକି ଶୁଖି ଯାଇଚି, ସେ ଆର ଗାଁ ପଣସ ଗଛରେ ଫଳ କାହିଁକି ଧରୁ ନେଇଁ, ଆଉ, କଅଣ କଲେ ସେ ନାଉରୀଦଶା ମେଣ୍ଟିବ ?’’ ବୁଢ଼ୀ ଅସୁରୁଣୀ କହିଲା, ‘‘ହଉରେ ପୁଅ, ମୁଁ ଅସୁର ମୁଣ୍ଡରୁ ବାଳ ଓପାଡ଼ିଲାବେଳେ ସେ କଅଣ କହିବ ଶୁଣିମୁ ।’’ ୟା କହି ପିଲାଟିକୁ ଫୁଙ୍କି ଦେଲା ଯେ, ସିଏ ଗୋଟିଏ ପିମ୍ପୁଡ଼ି ହୋଇଗଲା । ସେଇଠୁ ତାକୁ ଆପଣା ଲୁଗା କାନିରେ ଲୁଚେଇ କରି ରଖିଲା ।

 

ସଞ୍ଜ ବୁଡ଼ିଲାରୁ ଅସୁର ଆସି ପହଞ୍ଚିଲା । ଘର ଭିତରେ ପଶିଲାକ୍ଷିଣି ଖାଲି ଶୁଙ୍ଘି ପକେଇଲା, ଆଉ କହିଲା, ‘‘ମା ଲୋ ମା, ମଣିଷ ମାଉଁସ ବାସନାରେ ଘର ତ ମହକି ଯାଉଛି ଆଜି-।’’ ପଛକୁ ବୁଢ଼ୀ ଅସୁରୁଣୀ ଗାଳି ଦେବାରୁ ଶୋଇ ପଡ଼ିଲା । ନିଘୋଡ଼ ନିଦ ଲାଗିଗଲାରୁ ଯେତେବେଳେ ସେ ଘୁଙ୍ଗୁଡ଼ି ମାଇଲା, ବୁଢ଼ୀ ଅସୁରୁଣୀ ଗୋଟିଏ ସୁନା ବାଳ ଧରି ଓପାଡ଼ି ଆଣିଲା । ଅସୁର ନିଦ ଭାଜି ଗଲା । ଗାଳି ଦେଲାରୁ ବୁଢ଼ୀ ଅସୁରୁଣୀ କହିଲା, ‘‘ଅରେ ପୁଅ, କଣ ସପନ ଦେଖିଲି ଯେ ନିଦବାଉଳାରେ ତୋ ବାଳ ଭିଡ଼ି ଦେଲି ସିନା ! କଣ ସପନ ଦେଖିଲି କି, ଏକ ଗାଁରେ ଗୋଟିଏ କୂଅ ଯେ ସେ କୂଅରୁ ଝର ଶୁଖି ଯାଇଚି । କାହିଁକି ଇମିତି ହେଇଚି ରେ ପୁଅ ?’’ ଅସୁର କହିଲା, ଝର ତଳେ ପରା ଗୋଟେ ବେଙ୍ଗ ବସିଚି, ତାକୁ ନ ମାଇଲେ କଣ ଝର ଫିଟିବ ?’’

 

ୟା କହି ଅସୁର ଫେରେ ଶୋଇ ପଡ଼ି ଘୁଙ୍ଗୁଡ଼ି ମାଇଲା; ବୁଢ଼ୀ ଅସୁରୁଣୀ ପୁଣି ଆଉ ଗୋଟିଏ ବାଳ ଧରି ଓପାଡ଼ି ଆଣିଲାରୁ ସିଏ ଉଠି ତାକୁ ଭାରି ବକିଲା । ତହୁଁ ବୁଢ଼ୀ ଅସୁରୁଣୀ କହିଲା, ‘‘ଆରେ ପୁଅ, ନିଦବାଉଳାରେ ସିନା ତୋ ମୁଣ୍ଡରେ ହାତ ପଡ଼ିଗଲା । ମୁଁ କଣ ସପନ ଦେଖିଲି କି, ଏକ ଗାଆଁରେ ଗୋଟିଏ ପଣସ ଗଛ ଯେ, ସିଥେରେ ଆଗେ ଫୁଲ ଫଳ ଲେନ୍ତି ଦେଉଥିଲା । ଏବେ ଆଉ ସି ଗଛରେ ପତ୍ରଟିଏ ସୁଦ୍ଧା କଅଁଳୁ ନାଇଁ । କାହିଁକି ଇମିତି ହେଇ ଗଲାରେ ପୁଅ ?’’ ଅସୁର କହିଲା, ‘‘ଚେରଯାକ ତ ମୂଷା କାଟି ପକୋଉଚି, ତାକୁ ମାରି ନ ଦେଲେ କିମିତି ଫଳିବ ?’’

 

ୟା କହି ପୁଣି ଶୋଇ ପଡ଼ିଲାରୁ ବୁଢ଼ୀ ଅସୁରୁଣୀ ଆଉ ଗୋଟିଏ ବାଳ ଭିଡ଼ି ଦେଲା । ଏଥରକ ଅସୁର ରାଗରେ ଉଠି ଠିଆ ହେଇ ପଡ଼ିଲା, ଆଉ ଭାରି ତର୍ଜନ ଗର୍ଜନ କଲା । ପଛକୁ ବୁଢ଼ୀ ବୁଝେଇଲାରୁ ବୁଝିଗଲା । ସେଠୁ ବୁଢ଼ୀ କହିଲା, ‘‘କଣ ହେଲା ନା, ମୁଁ ସପନ ଦେଖିଲି ଯେ, ସମୁଦ୍ର ଏ ପାଖକୁ ସେ ପାଖ ଗୋଟେ ନାଉରୀ ନିତି ନାଆ ବାହୁଚି ତାକୁ କଣ ସେଠି କିଏ ମନ୍ତର କରି ରଖିଚି?’’ ଅସୁର କହିଲା, ‘ସିଏ ଏକ ଓଲୁ । ଏତେ ଲୋକଙ୍କୁତ ବୋହିକରି ନେଉଚି, ଜଣକ ହାତକୁ କାତ ବଢ଼େଇ ଦେଲେ ଯାଆନ୍ତା ।’’ ୟା କହି ଅସୁର ନିଘୋଡ଼ ନିଦରେ ଶୋଇ ପଡ଼ିଲା ଯେ, ଆର ଦିନ ବେଳ ପହରକ ସରିକି ଯାଇ ଉଠିଲା ।

 

ଏ ପିଲା ଏଣେ ଅସୁରୁଣୀଠୁ ସୁନା ବାଳ ତିନୋଟିଯାକ ଘିନି ଆସି ସମୁଦ୍ର କୂଳରେ ପହଞ୍ଚିଲା । ନାଉରୀ ପାରି କରି ସାରିଲାରୁ କହିଲା, ‘‘ତୁ ତ ଏତେ ଲୋକଙ୍କୁ ପାରି କରୁଚୁ, ଜଣକୁ କାତ ଧରେଇ ଦେଲେ ତୋ ଦଶା ମେଣ୍ଟିଯିବ ।’’ ତହୁଁ ସେ ଗାଆଁକୁ ଆସିଲାରୁ ଲୋକେ ପଣସ ଗଛ କଥା ପଚାରିଲେ । ପିଲା କହିଲା, ‘‘ମୂଳ ତ ମୂଷା କାଟି ପକୋଉଚି ତାକୁ ମାରି ଦିଅ ।’’ ସେ ଗାଆଁରୁ ଟଙ୍କା ଟୋକର ଧରି ଆସି ଆର ଗାଆଁରେ ପହଞ୍ଚିଲା । ଲୋକେ ସେଇମିତି ତାଙ୍କ କୂଅରୁ ଝର ଶୁଖି ଯିବାର ତଥ୍ୟ ପଚାରିଲେ । ସିଏ ଉପାୟ ବତେଇ ଦେଇ ଦି’ ବଳଦ ସୁନା ଅସରପି ଧରି ଅଇଲା ।

 

ଘରକୁ ଆସି ରଜାଙ୍କୁ ସୁନା ବାଳ ତିନୋଟି ଭେଟିଲା । ରଜା ଟୋକାର ସାହସ ଦେଖି ଆଚମ୍ବିତ ହେଲେ; ତା ହାତକୁ ଜେମାକୁ ଟେକି ଦେଲେ । ଆଉ, ପିଲା ଯୋଉ ଟଙ୍କା ସୁନା ଆଣିଥିଲା ତାକୁ ଦେଖି ତାଙ୍କର ଭାରି ଲୋଭ ବଳିଲା । କୋଉଠୁ ଆଣିଚ ବୋଲି ପଚାରିଲାରୁ ସିଏ କହିଲା, ‘‘ସମୁଦ୍ର ସେ ପାରିରେ ଗଦା ହେଇଚି, ଗଲେ ଆଣିମ ଯେତେ ଇଚ୍ଛା । ରଜା ଯାଇ ସମୁଦ୍ର କୂଳରେ ପହଞ୍ଚି ଡଙ୍ଗାରେ ଗୋଡ଼ ଦେଇଚନ୍ତି କି ନାଇଁ, ନାଉରୀ କାତ ଆଣି ହାତରେ ଧରେଇ ଦେଇ ତା ବାଟେ ସିଏ ଗଲା । ରଜା ସେଇ ଦିନଠୁ ନାଆ ବାହିବାକୁ ଲାଗିଲେ । ପିଲା ଗଦୀରେ ବସି ରାଜୁତି କଲା । ମୁଁ ଗଲାକୁ କଥା ନ କହିଲା ।

Image